ନୂଆଦିଲ୍ଲୀ,୦୬/୦୮: ମହାକାଶରେ ଘୁରି ବୁଲୁଥିବା ସ୍ପେସ୍ ଜଙ୍କ ଏବେ ବୈଜ୍ଞାନିକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସର ଏକ ଫାଲକନ୍-୯ ରକେଟ୍ର ପରିତ୍ୟକ୍ତ ଅଂଶ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିବା ନିଶ୍ଚିତ ହୋଇଛି । ଯଦିଓ ଏହି ଘଟଣା ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରିନାହିଁ, ତଥାପି ଚନ୍ଦ୍ର ଅଭିଯାନ ଓ ମହାକାଶ ଆବର୍ଜନା ପରିଚାଳନାକୁ ନେଇ ନୂଆ ପ୍ରଶ୍ନ ଉଠିଛି । ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ର ଏକ ପ୍ରାୟ ୪ ଟନ୍ ଓଜନର ପରିତ୍ୟକ୍ତ ଅପର୍ ଷ୍ଟେଜ୍ ଚନ୍ଦ୍ରପୃଷ୍ଠରେ ପ୍ରାୟ ଘଣ୍ଟାପ୍ରତି ୮ ହଜାର ୭ ଶହ କିଲୋମିଟର ବେଗରେ ଧକ୍କା ଖାଇଛି । ଏହି ରକେଟ୍ ଅଂଶଟି ୨୦୨୫ ଜାନୁଆରୀରେ ଦୁଇଟି ଚନ୍ଦ୍ର ଲ୍ୟାଣ୍ଡର୍କୁ ନେଇ ଉତ୍କ୍ଷେପଣ କରାଯାଇଥିଲା । ମିଶନ୍ ସମାପ୍ତ ପରେ ଏହା ଅନିୟନ୍ତ୍ରିତ ଭାବେ ମହାକାଶରେ ଘୂରି ବୁଲୁଥିଲା । ବୈଜ୍ଞାନିକଙ୍କ ଅନୁମାନ ଥିଲା ଯେ ଏହା ଚନ୍ଦ୍ରରେ ଆଘାତ କରିବ, ଏବଂ ବର୍ତ୍ତମାନ ଟେଲିସ୍କୋପ୍ ଦ୍ୱାରା ମିଳିଥିବା ପ୍ରମାଣରୁ ସେହି ଅନୁମାନ ସତ୍ୟ ବୋଲି ସ୍ପଷ୍ଟ ହୋଇଛି ।ଧକ୍କା ପରେ ଚନ୍ଦ୍ରପୃଷ୍ଠରୁ ଧୂଳିକଣା ଓ ଗ୍ୟାସର ଏକ ପ୍ଲୁମ୍ ବାହାରିଥିବା ରେକର୍ଡ କରାଯାଇଛି । ଏହି ଘଟଣାରେ ପୃଥିବୀ ପାଇଁ କୌଣସି ବିପଦ ନଥିଲେ ମଧ୍ୟ, ମହାକାଶରେ ବଢ଼ୁଥିବା ସ୍ପେସ୍ ଜଙ୍କକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି ।