ଭୁବନେଶ୍ୱର, ୨୬/୦୮: ରାତିରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା । ଫେସ୍ବୁକ-ଇନ୍ଷ୍ଟାଗ୍ରାମକୁ ଦୈନିକ ଲିମିଟ୍, ନାଇଟ୍ ବ୍ଳକ୍ ଫିଚର ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନିକୁ ଆମେରିକା କୋର୍ଟରେ ୧.୫୯ ଲକ୍ଷ କୋଟିର ଜରିମାନା ଲାଗିଛି । ଟେକ୍ନୋଲୋଜି କମ୍ପାନି ମେଟାକୁ ଏହାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମର ୱାଚ୍ ଟାଇମ୍ କମ୍ କରିବା ଲାଗି ଦୈନିକ ବ୍ୟବହାର ସୀମା ଏବଂ ରାତ୍ରି ବ୍ୟବହାର ବ୍ଲକ ଭଳି ଫିଚର୍ ଆଣିବାକୁ ହେବ । ଫଳରେ ଛୋଟପିଲାଙ୍କୁ ରାତିରେ ଏଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରୁ ଦୂରେଇ ରଖିବାରେ ଅଭିଭାବକଙ୍କୁ ଏକ ବିକଳ୍ପ ମିଳିବ। ଆମେରିକାର କାଲିଫର୍ନିଆ ଫେଡେରାଲ କୋର୍ଟ ୨୯ ରାଜ୍ୟ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଙ୍କର ସୋସିଆଲ ମିଡିଆ ଆସକ୍ତି, ସୁରକ୍ଷା ବିପନ୍ନତା ଏବଂ ବିନା ସହମତିରେ ଡାଟା ସଂଗ୍ରହ ନେଇ କମ୍ପାନି ବିରୋଧରେ ଅଭିଯୋଗ ରହିଥିଲା । ଶିଶୁଙ୍କ ସୁରକ୍ଷାକୁ ଅଣଦେଖା କରୁଥିବା ଅଭିଯୋଗରେ କମ୍ପାନିକୁ ୧.୫୯ ଲକ୍ଷ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ଆମେରିକାର ବିଭିନ୍ନ ରାଜ୍ୟ, ସ୍କୁଲ ଏବଂ ଅଭିଭାବକମାନେ ଯୁବବର୍ଗଙ୍କ ମାନସିକ ଚାପ ବଢ଼ାଉଥିବା ନେଇ ମେଟା ବିରୋଧରେ ଅଭିଯୋଗ ଆଣି ମାମଲା କରିଥିଲେ । ଏହି ମାମଲା ଶୁଣାଣି କରି ଆମେରିକା କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି ।