ଓଡ଼ିଶାରେ SIR ଶେଷ, ବାଦ ପଡିଲା ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ

ଭୁବନେଶ୍ୱର,୨୧/୦୯: ଓଡ଼ିଶାରେ ଶେଷ ହୋଇଛି ଏସଆଇଆର୍। ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା । ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ ବାଦ ପଡ଼ିଛି । ବିଭିନ୍ନ କାରଣରୁ ଭୋଟର ତାଲିକାରୁ ଏହି ନାଁଗୁଡ଼ିକୁ ବାଦ୍ ଦିଆଯାଇଛି । ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ୮ ଲକ୍ଷ ୩୨ ହଜାର ୫୪୪ ଜଣ ମୃତ, ୮ ଲକ୍ଷ ୮ ହଜାର ୨୦୫ ଜଣ ସ୍ଥାନାନ୍ତରିତ, ୧ ଲକ୍ଷ ୯୯ ହଜାର ୨୪୯ ଜଣ ଅନୁପସ୍ଥିତ ଏବଂ ୧ ଲକ୍ଷ ୫୮ ହଜାର ୧୧୮ ଜଣଙ୍କ ନାଁ ନକଲି ଥିବା ଦର୍ଶାଯାଇଛି । ଅନ୍ୟାନ୍ୟ କାରଣରୁ ୧୪ ହଜାର ୪୪୧ ଜଣଙ୍କ ନାଁ ବାଦ୍ ପଡ଼ିଛି । ଡ୍ରାଫ୍ଟ ପ୍ରକାଶ ପୂର୍ବରୁ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା। ଡ୍ରାଫ୍ଟ ପରେ ଅଯୋଗ୍ୟ ଥିବା ଆଉ ୪୪ ହଜାର ୭୭୮ ଜଣ ଭୋଟରଙ୍କ ନାଁ କଟିଛି । ସେହିପରି ଚୂଡ଼ାନ୍ତ ତାଲିକାରେ ୨ ଲକ୍ଷ ୪୫ ହଜାର ୭୨୦ ଜଣ ନୂଆ ଭୋଟରଙ୍କ ନାଁ ଯୋଡ଼ାଯାଇଛି ।

ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଏବେ ଓଡ଼ିଶାରେ ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ । ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଥିବାବେଳେ ତୃତୀୟ ଲିଙ୍ଗର ଭୋଟର ସଂଖ୍ୟା ୨ ହଜାର ୭୭୪ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, କୌଣସି ଯୋଗ୍ୟ ଭୋଟରଙ୍କ ନାଁ ଭୁଲବଶତଃ କଟିଯାଇଥିଲେ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬Aରେ ଆବେଦନ କରିପାରିବେ । ସେହିପରି ତଥ୍ୟ ସଂଶୋଧନ ପାଇଁ ଫର୍ମ-୮ ଏବଂ ନାଁ କାଟିବା ପାଇଁ ଫର୍ମ-୭ରେ ଆବେଦନ କରାଯାଇପାରିବ ।

Leave a Reply

Your email address will not be published. Required fields are marked *