ଭୁବନେଶ୍ୱର,୨୩/୦୯: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବଢ଼ିଛି ବର୍ଷାର ତୀବ୍ରତା । ବିଶେଷକରି ଆଜି ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ, ଏପରିକି ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏହାସହ ଦକ୍ଷିଣ ଓଡ଼ିଶାରେ ବିଜୁଳି ଓ ଘଡ଼ଘଡ଼ି ସହ ପବନର ପ୍ରଭାବ ମଧ୍ୟ ରହିପାରେ ।
ସେହିପରି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଗଭୀର ଅବପାତ ଓଡ଼ିଶା ଭିତରକୁ ପ୍ରବେଶ କରିବ । ଏଥିପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟପଟେ ଆହୁରି ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ଓ ପବନକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ମଧ୍ୟ କୁହାଯାଇଛି ।