ଶରଧାବାଲିରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ଭୁବନେଶ୍ୱର,୧୭/୦୭: ଶରଧାବାଲିରେ ପହଞ୍ଚିଛନ୍ତି ତିନି ରଥ। ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିବା ଆରମ୍ଭ କରିଥିଲା। ଉକ୍ତ ଦୁଇ ରଥ ଢେର ସମୟ ଆଗରୁ ପହଞ୍ଚିଥିଲେ।ଅବଶେଷ‌ରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିବା ଆରମ୍ଭ କରିଥିଲା। କାଲି ମାତ୍ର ଦୁଇ ହାତ ଗଡ଼ି ଅଟକିରହିଥିଲା ନନ୍ଦିଘୋଷ। ଘଣ୍ଟଘଣ୍ଟା ନାଦରେ ଫାଟିପଡ଼ୁଛି ବଡ଼ଦାଣ୍ଡ। ଲୋକାରଣ୍ୟ ଶ୍ରୀକ୍ଷେତ୍ର ମାଟି। ସିଂହଦ୍ବାର ନିକଟରୁ ଗଡ଼ିଲା ହଟିଆଠାକୁରଙ୍କ ରଥ। ଗତକାଲି ଗୁମୁଟ ପାଖରୁ ରଥକୁ ଆସିବାକୁ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ଲଗାଇ ସମୟ ଲଗାଇଥିଲେ ସେହି ଅଚଳମେରୁ। ହେଲେ ଆଜି ଅଝଟ ନ ହୋଇ ଯଥା ସମୟରେ ପହଞ୍ଚିଛନ୍ତି ମହାବାହୁ। ଆସନ୍ତାକାଲି ଚତୁର୍ଦ୍ଧା ମୂରତିଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *