ନୂଆଦିଲ୍ଲୀ,୧୦/୦୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ।ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁଁ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି, ଯାହା ଫଳରେ ଦେଶର ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି। ଉତ୍ତର ଭାରତରୁ ଆରମ୍ଭ କରି ମଧ୍ୟ ଓ ପୂର୍ବ ଭାରତ ପର୍ଯ୍ୟନ୍ତ ୧୬ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପାର୍ବତ୍ୟ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ନଦୀ ଓ ନାଳର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର ଏବଂ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।