ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର,୨୪/୦୮: ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା । ଆଜି ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର, ମୌସୁମୀ ଟ୍ରଫ୍‌ ଓ ବାୟୁମଣ୍ଡଳୀୟ ପରିବର୍ତ୍ତନ ଯୋଗୁଁ ପାଗ ଅସ୍ଥିର ରହିଛି । ଓଡ଼ିଶାରେ ଆଜି ଭାରିରୁ ଅତି ଭାରି ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟ କେତେକ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି । ଆସନ୍ତାକାଲି ମଧ୍ୟ ଓଡ଼ିଶା ଓ ଛତିଶଗଡ଼ରେ ଭାରିରୁ ଅତି ଭାରି ବର୍ଷାର ଆଶଙ୍କା ରହିଛି । କେବଳ ଓଡ଼ିଶା ନୁହେଁ, ଆଜି ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପୂର୍ବ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।  ପାହାଡ଼ିଆ ଅଞ୍ଚଳରେ ମାଟି ଅଧିକ ଓଦା ଥିବାରୁ ଭୂସ୍ଖଳନ, ଜଳବନ୍ଦୀ ଓ ହଠାତ୍ ବନ୍ୟା ଭଳି ସ୍ଥିତିର ଆଶଙ୍କା ମଧ୍ୟ ରହିଛି । ସେହିପରି ଉତ୍ତର-ପୂର୍ବ ଭାରତରେ ମଧ୍ୟ ଆସନ୍ତା କିଛି ଦିନ ମୌସୁମୀ ବର୍ଷା ଜାରି ରହିବ। ଅଗଷ୍ଟ ୨୫ରୁ ୨୯ ମଧ୍ୟରେ ଅରୁଣାଚଳ ପ୍ରଦେଶ ସମେତ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପକ ବର୍ଷା ହୋଇପାରେ । ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ମଧ୍ୟ ହଠାତ୍ ବନ୍ୟାର ଆଶଙ୍କା ଥିବାରୁ ସତର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *