ଭୁବନେଶ୍ୱର, ୦୫/୦୭: ସାରା ରାଜ୍ୟରେ ବର୍ଷାର ବିତ୍ପାତ । ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ମୂଷଳଧାରା ବର୍ଷା ଜାରି ରହିଛି । ଆଜି ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୮ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାକୁ ନେଇ ପ୍ରଶାସନକୁ ସତର୍କ ରହିବା ସହ ସାଧାରଣ ଲୋକଙ୍କୁ ମଧ୍ୟ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ଯୋଗୁଁ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି ।ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ଆଜି ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ସମେତ ମୋଟ ୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ସ୍ୱଳ୍ପ ସମୟ ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ସହ ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାରେ ପାଣି ଜମିବା ଏବଂ ଛୋଟ ନଦୀନାଳରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଉଲ୍ଲେଖନୀୟ ବର୍ଷା ରେକର୍ଡ କରାଯାଇଛି । ବହୁ ସ୍ଥାନରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ସହରାଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ନଦୀ ଓ ଜଳାଶୟର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।