ଭୁବନେଶ୍ୱର, ୩୦/୦୬: ସକାଳୁ ସକାଳୁ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି । ତୁହାକୁ ତୁହା ବର୍ଷା ହେବାରୁ ରାଜଧାନୀ ଭୁବନେଶ୍ୱର ଓ କଟକ ପାଗ ସମ୍ପୂର୍ଣ୍ଣ ବଦଳିଯାଇଛି । ଗତ କିଛିଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କୁ ଆଜିର ବର୍ଷା ବଡ଼ ଆଶ୍ୱସ୍ତି ଦେଇଛି । ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ସକାଳ ଅଫିସ୍ ଓ ସ୍କୁଲ ସମୟ ଥିବାରୁ ଯାତାୟାତ ମଧ୍ୟ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ।ତେବେ ବର୍ଷା ଯୋଗୁଁ ପରିବେଶ ଥଣ୍ଡା ହେବା ସହ ତାପମାତ୍ରାରେ ହ୍ରାସ ଘଟିଛି । ପାଣିପାଗରେ ଆସିଥିବା ଏହି ପରିବର୍ତ୍ତନ ଲୋକଙ୍କୁ ଖରା ଓ ଗୁଳୁଗୁଳିରୁ ସାମୟିକ ମୁକ୍ତି ଦେଇଛି । ଆଗାମୀ କିଛି ଘଣ୍ଟା ଯାଏଁ କଟକ ଓ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି ।