ନୂଆଦିଲ୍ଲୀ,୦୪/୦୮: ବଲିଉଡ୍ ଫିଲ୍ମ ‘ଗଜନୀ’ ର ଲୋକପ୍ରିୟ ଖଳନାୟକ ପ୍ରଦୀପ ରାୱତଙ୍କ ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ ପ୍ରଦୀପ । ତାଙ୍କ ବିୟୋଗରେ ବଲିଉଡ୍ ସହ ସମଗ୍ର ଦକ୍ଷିଣ ଭାରତୀୟ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବିଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ସିରିଏଲ୍ ‘ମହାଭାରତ’ରେ ସେ ‘ଅଶ୍ୱତ୍ଥାମା’ ଚରିତ୍ରରେ ଅଭିନୟ କରିଥିଲେ । ଆମୀର ଖାନ୍ଙ୍କ ସହ ‘ସର୍ଫରୋଶ୍’, ‘ଲଗାନ୍’ ଏବଂ ‘ଗଜନୀ’ ଭଳି ସୁପରହିଟ୍ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ପ୍ରଦୀପ କେବଳ ବଲିଉଡ୍ରେ ନୁହେଁ ବରଂ ତେଲୁଗୁ, ତାମିଲ୍, ମାଲାୟାଲମ୍ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଜଣେ ସଫଳ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।