ନୂଆଦିଲ୍ଲୀ,୨୨/୧୦: ଯମୁନା ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ୮,୯୪୧ କୋଟି ଟଙ୍କା ବ୍ୟୟରେ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଯମୁନାକୁ ମିଶୁଥିବା ନର୍ଦ୍ଦମା ପାଣିର ପରିମାଣ କମିବା ସହ ଦିଲ୍ଲୀବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ଯମୁନା ସଫେଇ ପାଇଁ ଏହି ପ୍ରକଳ୍ପଗୁଡ଼ିକ ମେରୁଦଣ୍ଡ ଭଳି କାମ କରିବ । କେନ୍ଦ୍ର ସରକାର, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ସରକାର ମିଳିତ ଭାବେ ଏହି ଅଭିଯାନକୁ ଆଗକୁ ବଢ଼ାଉଛନ୍ତି । ମେ’ ୨୦୨୯ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ସଫା କରିବାକୁ ବିଜେପି ସରକାର ସଂକଳ୍ପ ନେଇଥିବା ସେ କହିଛନ୍ତି ।