ନୂଆଦିଲ୍ଲୀ,୧/୦୫: ପାକିସ୍ତାନରେ ତୈଳ ଦର ବୃଦ୍ଧି ପାଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି । ଏହି ସଂଶୋଧନ ପରେ ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ୧୯.୩୯ ଟଙ୍କା ବଢ଼ିବା ସହ ଏହାର ନୂତନ ଦର ଲିଟର ପିଛା ୩୯୯.୦୯ ଟଙ୍କାରେ ପହଞ୍ଚିଛି । ସେହିପରି ପେଟ୍ରୋଲ ଦରରେ ୬.୫୧ ଟଙ୍କାର ବୃଦ୍ଧି ଘଟିବା ଫଳରେ ଏହା ମଧ୍ୟ ପ୍ରାୟ ୩୯୯ ଟଙ୍କା ପାଖାପାଖି ହୋଇଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦରର ପରିବର୍ତ୍ତନ ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ନୂତନ ଦର ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି । ବିଶେଷ କରି କୃଷି ଏବଂ ମାଲ ପରିବହନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଡିଜେଲର ଦର ପ୍ରାୟ ୨୦ ଟଙ୍କା ବଢ଼ିବା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।