ନୂଆଦିଲ୍ଲୀ,୨୮/୦୭: ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ହେଲେ ୩ଆତଙ୍କବାଦୀ। ଆଉ ୩ ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା। ହାଶିମ ମୂସା ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ କେବଳ ନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା। ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା।