ଚତୁର୍ଥ ଦିନରେ ବି ଗୃହ ଅଚଳ: ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫/୦୯: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ । MMDR Amendment Actକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଛି । ହଙ୍ଗାମା ମଧ୍ୟରେ ମାତ୍ର ଚାରି ମିନିଟ୍ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି । MMDR Amendment Actକୁ ବିରୋଧ କରି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ନାରାବାଜି କରିଛନ୍ତି । ବିରୋଧୀ ସଦସ୍ୟମାନେ ୱେଲ୍‌କୁ ଆସି ପ୍ରତିବାଦ କରିବା ସହ ଏହି ଆଇନକୁ ନେଇ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ଲଗାତାର ତିନି ଦିନ ଧରି MMDR ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ MMDR Amendment Actକୁ ନେଇ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନରେ ବିଜେଡି ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ଉଠାଇଥିବା ବେଳେ କଂଗ୍ରେସ MMDR ଆଇନକୁ ବିରୋଧ କରିଥିଲା। ପରବର୍ତ୍ତୀ ଦିନଗୁଡ଼ିକରେ ଉଭୟ ଦଳ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି । ଏପଟେ MMDR Amendment Act ଯୋଗୁଁ ରାଜ୍ୟର ଖଣିଜ ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆକଳନ ହୋଇନଥିବା ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *