ନୂଆଦିଲ୍ଲୀ,୨୪/୦୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟର ଶକ୍ତ ଧକ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଶୁଣାଇ ବ୍ରିଟେନର ଏହି ଅଦାଲତ ନୀରବଙ୍କୁ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିବା ପାଇଁ ଦାୟୀ କରିଛନ୍ତି । ଲଣ୍ଡନ କମର୍ସିଆଲ କୋର୍ଟର ବିଚାରପତି ସାଇମନ ଟିଙ୍କଲର ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ନୀରବ ମୋଦୀ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନିଆଯାଇଥିବା ଋଣ ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ ଏବଂ ବର୍ତ୍ତମାନ ସେ ଏହି ସମସ୍ତ ଅର୍ଥ ପ୍ରଦାନ କରିବାକୁ ଆଇନଗତ ଭାବେ ବାଧ୍ୟ ।ସୂଚନା ଅନୁସାରେ, ନୀରବ ମୋଦୀଙ୍କ ଉପରେ ମୂଳ ଅର୍ଥ ଭାବେ ପ୍ରାୟ ୪.୧ ମିଲିୟନ ଡଲାର ବା ୩୮.୯ କୋଟି ଟଙ୍କାର ଦେୟ ରହିଛି ଏବଂ ଏହା ସହିତ ବ୍ୟାଙ୍କର ନିୟମ ଅନୁସାରେ ସୁଧର ପରିମାଣ ମଧ୍ୟ ଯୋଗ କରାଯିବ । ନୀରବ ମୋଦୀ ଅଦାଲତରେ ବ୍ୟାଙ୍କର ଏହି ଦାବିକୁ ଚ୍ୟାଲେଞ୍ଜ କରିଥିଲେ।