ଭୁବନେଶ୍ୱର,୦୩/୦୮: ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ କ୍ରାଇମବ୍ରାଞ୍ଚ ସ୍କାନରରେ ଥିବା ବେଳେ ଆଜି ତାଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଗତ କିଛି ଦିନ ହେବ ନିହାର ସନ୍ଦେହ ଘେରରେ ଥିଲେ । ଗତକାଲି କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରିଥିଲା। ଏହି ସମୟରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚରାଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୬ଜଣଙ୍କୁ ଗିରଫ କରି ସାରିଛି । ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମୁଦାୟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଆଜି ବୋର୍ଡ ଉପସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ନିହାରଙ୍କ ଲାପଟପରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ତେବେ କିପରି ତାହା ଲିକ୍ ହୋଇଥିଲା, ସେଥିରେ ନିହାରଙ୍କ ସମ୍ପୃକ୍ତି ନେଇ ଆରମ୍ଭ ହୋଇଥିଲା ତନାଘନା। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସ୍କାନରକୁ ଆସିଯାଇଥିଲେ ନିହାର।