ଆସନ୍ତା ୨୪ ଅଗଷ୍ଟରୁ ନୂଆ ନିୟମ, ଏଣିକି ମନଇଚ୍ଛା ନେଇପାରିବେନି ନୂଆ ସିମ୍‌

ନୂଆଦିଲ୍ଲୀ,୨୧/୦୮: ଆସନ୍ତା ୨୪ ଅଗଷ୍ଟରୁ ନୂଆ ନିୟମ । ଏଣିକି ମନଇଚ୍ଛା ନେଇପାରିବେନି ନୂଆ ସିମ୍‌ । ଆପଣଙ୍କ ନାଁରେ ଅନୁମୋଦିତ ସୀମା ପୂର୍ବରୁ ପୂରଣ ହୋଇସାରିଥିଲେ, ଆଉ ନୂଆ ମୋବାଇଲ୍‌ କନେକ୍ସନ୍‌ ଦେବେନାହିଁ ଟେଲିକମ୍‌ କମ୍ପାନୀ । ଅଗଷ୍ଟ ୨୪ରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଯାଉଛି ଦୂରସଞ୍ଚାର ବିଭାଗ ବା DoT । ଏନେଇ ଅଗଷ୍ଟ ୧୭ରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍‌ କନେକ୍ସନ୍‌ ରହିପାରିବ। ଏହି ସୀମା ସମସ୍ତ ଟେଲିକମ୍‌ ଅପରେଟର୍‌ ଏବଂ ଟେଲିକମ୍‌ ସର୍କଲ୍‌କୁ ମିଶାଇ ଲାଗୁ ହେବ । କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ଏହି ସୀମା ୬ଟି କନେକ୍ସନ୍‌ । ଅର୍ଥାତ୍‌, ଆପଣଙ୍କ ନାଁରେ ଗୋଟିଏ କମ୍ପାନୀର ୫ଟି ଏବଂ ଅନ୍ୟ କମ୍ପାନୀର ୪ଟି ସିମ୍‌ ଥିଲେ ମଧ୍ୟ ମୋଟ ସଂଖ୍ୟା ୯ ଭାବେ ଗଣାଯିବ । ଆପଣ ନୂଆ ସିମ୍‌ ନେବାକୁ ଗଲେ ଟେଲିକମ୍‌ କମ୍ପାନୀ ଯାଞ୍ଚ କରିବ ଯେ, ଆପଣଙ୍କ ନାଁରେ ପୂର୍ବରୁ କେତୋଟି ମୋବାଇଲ୍‌ ନମ୍ବର ରହିଛି । ଏଥିପାଇଁ DoTର Digital Intelligence Platform ବା DIP ବ୍ୟବହାର କରାଯିବ । ବିଭିନ୍ନ ଟେଲିକମ୍‌ କମ୍ପାନୀର ଗ୍ରାହକଙ୍କ ତଥ୍ୟକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଯାଞ୍ଚ କରାଯିବ । ନୂଆ କନେକ୍ସନ୍‌ ନେବା ସମୟରେ ଗ୍ରାହକଙ୍କୁ ନିଜ ନାଁରେ ପୂର୍ବରୁ ଥିବା ମୋବାଇଲ୍‌ ନମ୍ବର ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ । ଅନ୍ୟ ଟେଲିକମ୍‌ କମ୍ପାନୀରୁ କିମ୍ବା ଅନ୍ୟ ଟେଲିକମ୍‌ ସର୍କଲ୍‌ରୁ ନିଆଯାଇଥିବା ସିମ୍‌ ମଧ୍ୟ ଏଥିରେ ସାମିଲ ହେବ । ଯଦି ଯାଞ୍ଚ ପରେ ଜଣାପଡ଼େ ଯେ ଆପଣ ଅନୁମୋଦିତ ସୀମା ପୂରଣ କରିସାରିଛନ୍ତି, ତେବେ ଆଉ ନୂଆ ସିମ୍‌ ଦିଆଯିବ ନାହିଁ । ଯଦି କୌଣସି କାରଣରୁ ଅନୁମୋଦିତ ସୀମାଠାରୁ ଅଧିକ ମୋବାଇଲ୍‌ କନେକ୍ସନ୍‌ ଆକ୍ଟିଭ୍‌ ହୋଇଯାଏ, ତେବେ ତାହାକୁ ତୁରନ୍ତ ଗୋଟିଏ ଦିନ ପାଇଁ ସସ୍ପେଣ୍ଡ କରାଯାଇପାରେ। ପରେ ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *