ଭୁବନେଶ୍ୱର,୧୩/୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି । ରାଜ୍ୟରେ ଥିବା ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳିଲେ ସେ ଖୁସି ହେବେ ବୋଲି ଚିନ୍ତା କରିଛନ୍ତି । ତେଣୁ ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି) ସଭାପତି ବର୍ଦ୍ଧିତ ଦରମା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ। ସୂଚନାଯୋଗ୍ୟ, ବିଧାୟକଙ୍କର ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ।