ଭୁବନେଶ୍ୱର,୨୪/୦୯: ମାଲକାନଗିରି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତକାଲିଠାରୁ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ହେଉଥିବାରୁ ସମସ୍ତ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜିଲ୍ଲାର ଅନେକ ପ୍ରମୁଖ ରାସ୍ତା ଓ ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତ ବ୍ୟାହତ ହୋଇଛି। ମାଲକାନଗିରି ସଦର ମହକୁମାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।
ଜାତୀୟ ରାଜପଥ-୩୨୬ର ଅନେକ ସ୍ଥାନରେ ବନ୍ୟାଜଳ ରାସ୍ତା ଉପରକୁ ଉଠିଛି। ଏମ୍ଭି-୯୦, ଏମ୍ଭି-୯୬, କାଙ୍ଗୁରକୋଣ୍ଡା, ପୋଟେରୁ ଓ ସାବେରୀ ଅଞ୍ଚଳର ବ୍ରିଜ୍ଗୁଡ଼ିକ ଉପରେ ପ୍ରାୟ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବା ଜଣାପଡ଼ିଛି। ଏହା ଫଳରେ ମାଲକାନଗିରିରୁ ଅନ୍ୟ ଜିଲ୍ଲା ଓ ପଡ଼ୋଶୀ ଅଞ୍ଚଳକୁ ଯାତାୟାତ ପ୍ରଭାବିତ ହୋଇଛି। ପାଙ୍ଗାମ ବ୍ରିଜ୍ରେ ମଧ୍ୟ ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଅନ୍ୟପଟେ ପୋଟେରୁ ନଦୀର ଜଳସ୍ତର ବଢ଼ିବା ପରେ ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଅନେକ ଗାଁରେ ପାଣି ମାଡ଼ି ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।