ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ନୂଆଦିଲ୍ଲୀ,୨୯/୧୦: ବାତ୍ୟା ଅର୍ଣ୍ଣବ ଯିବା ପରେ ଲୋକମାନେ ଟିକେ ଆଶ୍ୱସ୍ତ ହୋଇଥିଲେ । ହେଲେ ପୁଣି ଏକ ଲଘୁଚାପ ଆସିବା ଖବର ଏବେ ଭୟ ବଢ଼ାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ହେବା ସମ୍ଭାବନା । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କିପରି ରହିବ, ତାହା ଗୁରୁତ୍ୱପୂର୍ଣ୍ଣ ହେବ । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପାଣିପାଗ ବିଭାଗ ଲଗାତାର ନଜର ରଖିଛି । ଏହାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ବୁଲେଟିନ୍‌ରୁ ଅଧିକ ସ୍ପଷ୍ଟତା ମିଳିପାରିବ । ବିଶେଷକରି ଓଡ଼ିଶାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ପରିବର୍ତ୍ତନର ସମ୍ଭାବନା ଅଛି କି ନାହିଁ ତାହା ପାଣିପାଗ ବିଭାଗର ଆଗାମୀ ସୂଚନା ଆସିବା ପରେ ଜଣାପଡ଼ିବ । ଯଦି ଆଗକୁ ଲଗାଣ ବର୍ଷା ଓ ପବନ ହୁଏ ତେବେ ଚାଷ ନଷ୍ଟ ହେବାର ଭୟ ଚାଷୀଙ୍କୁ ଘାରିଛି । ଏଥିସହ ରାଜ୍ୟର ଅନେକ ଅଞ୍ଚଳରେ ଏବେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ବିପଦକୁ ଅଧିକ ବଢ଼ାଇବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *