ଝୁଲି ଝୁଲି, ହଲି ହଲି ଶ୍ରୀମନ୍ଦିରରୁ ପହଣ୍ଡି କରି ଆସୁଛନ୍ତି କାଳିଆ ସାଆନ୍ତ

ଭୁବନେଶ୍ୱର,୧୬/୦୭: ଝୁଲି ଝୁଲି, ହଲି ହଲି ଶ୍ରୀମନ୍ଦିରରୁ ପହଣ୍ଡି କରି ଆସୁଛି କାଳିଆ ସୁନା । ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡିକୁ ଦର୍ଶନ କରି ଆଜି ଭକ୍ତମାନେ ବିଭୋର । ହରିବୋଲ , ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ବର୍ଷକର ଅପେକ୍ଷା ଆଜି ସାର୍ଥକ ହୋଇଛି । କିଏ ଜଗା ପ୍ରେମରେ ବିଭୋର ହୋଇ ନୃତ୍ୟ କରୁଛି, ତ ଆଉ କିଏ ଶିବ ଆଉ ହନୁମାନ ବେଶ ଧାରଣ କରି ମହାପ୍ରଭୁଙ୍କ ଚରଣରେ ନିଜର ଅକୁଣ୍ଠ ଭକ୍ତି ସମର୍ପଣ କରୁଛି । କାହା ଆଖିରେ ଆନନ୍ଦର ଲୁହ ତ ଆଉ କାହା ଓଠରେ କେବଳ ଗୋଟିଏ ନାମ-“ଜୟ ଜଗନ୍ନାଥ”। ନନ୍ଦିଘୋଷ ରଥ ଯେପରି ନିଜ ପ୍ରଭୁଙ୍କ ଆଗମନକୁ ଚାହିଁ ଅଧୀର ହୋଇପଡ଼ିଛି , ଭକ୍ତଙ୍କ ହୃଦୟ ସେହିପରି ଉତ୍କଣ୍ଠାରେ ଭରିଯାଇଛି । କାହା ହାତରେ ତୁଳସୀମାଳା, କାହା ଓଠରେ ଅଖଣ୍ଡ “ଜୟ ଜଗନ୍ନାଥ”, ଆଉ କାହା ଆଖିରେ କେବଳ ଦିବ୍ୟ ଦର୍ଶନର ଅପେକ୍ଷା । ହରିବୋଲ ଓ ହୁଳହୁଳିର ଧ୍ୱନିରେ କମ୍ପି ଉଠୁଛି ସମଗ୍ର ଶ୍ରୀକ୍ଷେତ୍ର । ହେ କାଳିଆ! ତୋ ପ୍ରେମରେ ଏମିତି କି ଅଲୌକିକ ଆକର୍ଷଣ ରହିଛି ଯେ ତୁମ ଡାକ ଶୁଣିଲେ ଜାତି, ଧର୍ମ, ବର୍ଣ୍ଣ, ଭାଷା ସବୁ ସୀମା ଲିଭିଯାଏ । ତୁମର ସେହି କରୁଣାମୟ ଚାହାଣି ଓ ଅପାର ପ୍ରେମ ହିଁ କୋଟି କୋଟି ଭକ୍ତଙ୍କ ଜୀବନର ଏକମାତ୍ର ଆଶ୍ରୟ ।

Leave a Reply

Your email address will not be published. Required fields are marked *