ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଅସହ୍ୟ ହେଉଛି ସାର ସମସ୍ୟା

ଭୁବନେଶ୍ୱର,୨୯/୦୮: ଖରିଫ ଋତୁରେ ଚାଷ ସମୟରେ ପ୍ରତିବର୍ଷ ରାସାୟନିକ ସାରର ସଙ୍କଟ ଦେଖା ଦେଇଥାଏ । କିନ୍ତୁ ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଅସହ୍ୟ ହେଉଛି ସାର ସମସ୍ୟା । ବିଶେଷ କରି ୟୁରିଆ ସାରର ଅଭାବ ଯୋଗୁଁ ରାଜରାସ୍ତାରେ ବସୁଛନ୍ତି ଚାଷୀ । ଚାଷ ପାଇଁ ୟୁରିଆ ସାରର ନିହାତି ଆବଶ୍ୟକତା ରହିଥିବା ବେଳେ କିଛି କଳାବଜାରୀ ଚଢ଼ା ଦରରେ ସାର ବିକ୍ରୟ କରିବା ଫଳରେ ଚାଷୀ ଠିକ ପରିମାଣରେ ସାର ପାଇପାରୁନାହିଁ ।

ସାରର ଅଭାବ ଭିତରେ ୟୁରିଆ ସାର ନେବାକୁ ମାଲକାନାଗିରି ମାଥଲି ଲ୍ୟାମ୍ପସ ବାହାରେ ଚାଷୀଙ୍କ ଭିଡ ଦେଖିବାକୁ ମିଳିଛି । କିଏ ଲ୍ୟାମ୍ପସର ଛାତ ଉପରେ, ତ ଆଉ କିଏ ପାଚେରୀ ଉପରେ ଚଢ଼ି ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାର ଯୋଗାଇ ଦେବାକୁ ଅନୁମତି ମିଳିବା ପରେ ହଜାର ହଜାର ଚାଷୀ ଆସିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ମୁତୟନ କରିବାକୁ ପଡିଥିଲା । କେବଳ ମାଥଲି ନୁହେଁ ନବରଙ୍ଗପୁର, ଗଞ୍ଜାମ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଗଞ୍ଜାମରେ ଆସ୍କା ପରେ ସୋରଡ଼ାରେ ୟୁରିଆ ସାର ନେବା ପାଇଁ ଚାଷୀଙ୍କ ମଧ୍ୟରେ ଠେଲା ପେଲା ପରିସ୍ଥିତି ଉପୁଜୁଛି ।