ଭୁବନେଶ୍ୱର,୨୯/୦୬: ଗଜାନନ ବେଶରେ ମହାପ୍ରଭୁ । ହଜାର ହଜାର ଶ୍ରଦ୍ଧାଳୁ ଆଜି ପହଁଚି ଯାଇଥିଲେ ପୁରୀ । ଘଂଟ ଘଂଟା ଓ ହରିବୋଲି ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ଆଧ୍ୟାତ୍ମିକ ପରିବେଶରେ ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ସ୍ନାନଯାତ୍ରାର ନୀତିରୀତି । ଧାଡି ପହଣ୍ଡିରେ ଶ୍ରୀଜିଉମାନଙ୍କୁ ନିଆଯାଇଥିଲା ସ୍ନାନମଣ୍ଡପକୁ । ପହଣ୍ଡି ବିଜେ ସମୟରେ ଠାକୁରଙ୍କୁ ଲାଗି ହେଲା ଚୂଳ ଓ ଟାହିୟା । ଟାହିୟା ଶୋଭିତ ଠାକୁରଙ୍କ ଅନୁପମ ରୂପ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ । ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା ।