ଭୁବନେଶ୍ୱର,୩୧/୦୭: ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦ଟି ଜିଲ୍ଲାର ରିପୋର୍ଟ ହସ୍ତଗତ ହୋଇଛି । ୨୦ଟି ଜିଲ୍ଲାର ୧୦୦ଟି ବ୍ଲକ ପ୍ରଭାବିତ ହୋଇଛି । ୫୩୯ ଗ୍ରାମ ପଞ୍ଚାୟତର ୧୪୫୮ଟି ଗାଁ ଏବଂ ୧୪ଟି ସହରାଞ୍ଚଳର ୧୭୬ ୱାର୍ଡ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ୭ ଲକ୍ଷ ୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ୧ ଲକ୍ଷ ୮୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୫୨୦ଟି ରିଲିଫ କେନ୍ଦ୍ର କାର୍ଯ୍ୟ କରୁଛି । ଲୋକେ ପାଣି ଘେରରେ ଥିବା ଯାଏଁ ରିଲିଫ ସେଣ୍ଟର ଚାଲିବ ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ଆଶ୍ୱସ୍ତ କରିଛନ୍ତି ଯେ, ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ । ରାଜ୍ୟ ସରକାର ପର୍ଯ୍ୟାପ୍ତ ସହଯୋଗ କରିବେ ।କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ହେବ ଗୁରୁତ୍ୱପୂର୍ଣ ବୈଠକ ଅଛି । ୨୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ବୈଠକ ହେବ । ବନ୍ୟା ଛାଡ଼ିବା ପରେ ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ । ୩ ଦିନ ଭିତରେ ରିପୋର୍ଟ ପାଇବା ପରେ ଚତୁର୍ଥ ଦିନ ଲୋକଙ୍କ ପାଖକୁ ଯିବ କ୍ଷତି ପୂରଣ ଟଙ୍କା । ସେପଟେ ସୂଚନା ମିଳିଛି ଯେ, କଟକ ନରାଜ ମୁଣ୍ଡଳୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ, ଏହା ୮ ଲକ୍ଷ ୭୩ ହଜାର କ୍ୟୁସେକକୁ ବଢ଼ିଛି । ଦୁଇ ଘଣ୍ଟା ଧରି ଜଳସ୍ତର ବଢ଼ିନାହିଁ ।