ଭୁବନେଶ୍ୱର,୧୫/୧୧: ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ୁଛି ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ । ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେଇଛି । ପରେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି । ଧୀରେ ଧୀରେ ଶକ୍ତି ବଢ଼ାଇ ବାତ୍ୟାର ରୂପ ନେବା ସହ ୨୦ ତାରିଖ ସକାଳ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିପାରେ ।
କିଛି ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳ ସୁଦ୍ଧା ବିଶାଖାପାଟଣା ଓ ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା । ଏହାର ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି । ୧୮ ତାରିଖ ଓ ୧୯ ତାରିଖ ସକାଳ ସୁଦ୍ଧା ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ସ୍ଥିତିକୁ ଦେଖି ୧୮ ତାରିଖ ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୯ ତାରିଖରେ ସାରା ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷକରି ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ ।