ଆଜି ଛାତ୍ର ସଂସଦ ନିର୍ବାଚନ, ୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୧୫/୧୦: ଆଜି ଛାତ୍ର ସଂସଦ ନିର୍ବାଚନ । ୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରି ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଗତକାଲି କାଁଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ କାଲି ସମସ୍ତ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶେଷ ହୋଇଛି । ତେଣୁ ଚଳିତବର୍ଷ ୧୨ଟି ବିଶ୍ଵବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ । ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହେବାକୁ ଥିବାରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସ୍ବତନ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହିବେ, ଯେଉଁମାନେ କି ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।

Leave a Reply

Your email address will not be published. Required fields are marked *