ଗଞ୍ଜାମରେ ବାତ୍ୟା ଓ ବନ୍ୟା ପରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧୧: ଅର୍ଣ୍ଣବ ଓ ଅକଭାନ ବାତ୍ୟା ଓ ବନ୍ୟା ପରେ ବହି ଯାଇଥିବା ଝଡ ଯନ୍ତ୍ରଣାକୁ ଆଜି ଅତି ପାଖରୁ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟା ଓ ବାତ୍ୟାରେ ଛାରଖାର ହୋଇଥିବା ଚାଷ ଜମିରେ ପହଞ୍ଚି ନିଜେ କାଦୁଅ ଧାନ ବିଲରେ ପଶି ଫସଲ କ୍ଷୟକ୍ଷତିର ବାସ୍ତବ ସ୍ଥିତି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗାଁ ନିକଟରେ ନଷ୍ଟ ହୋଇଥିବା ଫସଲ ଏବଂ ଋଷିକୁଲ୍ୟା ନଦୀର ଭାଙ୍ଗିଯାଇଥିବା ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ଚାଷୀ ପରିବାରର ଯୁବତୀ ଜ୍ୟୋତିଶ୍ରୀ ମହାକୁଡ଼ ନିଜ ଦୁଃଖ ଜଣାଇଥିଲେ। ଆଖିରେ ଲୁହ ଓ ମନରେ ଅସହାୟତା ନେଇ ସେ କହିଥିଲେ, ତାଙ୍କର ୧୦ ଏକର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କ ଦୁଃଖ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ସ୍ଥିତିରେ ଚାଷୀଙ୍କୁ କେବଳ ପ୍ରତିଶ୍ରୁତି ନୁହେଁ, ଆବଶ୍ୟକ ତୁରନ୍ତ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ । ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରାଉଣ୍ଡ ଜିରୋ ଗସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ମନରେ ନୂଆ ଆଶା ଜଗାଇଛି ।

Leave a Reply

Your email address will not be published. Required fields are marked *