ଭୁବନେଶ୍ୱର,୧୭/୦୬: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ଆଉ ଏହି ପ୍ରସ୍ତୁତି କେମିତି ଚାଲିଛି ସେସବୁର ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥା, କାର୍ୟ୍ୟକ୍ରମ ପରିଚାଳନା ଏବଂ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଭିଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଓ ଅନ୍ୟ ପ୍ରଶାସନିକ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ବିଶେଷ କରି ଭିଭିଆଇପିମାନଙ୍କ ଗମନାଗମନ ସମୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ ଓ ୨୦ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ୨୦ ତାରିଖରେ ଦିନିକିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦ ତାରିଖରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ।