ଭୁବନେଶ୍ୱର, ୨୬/୦୬: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ । ଉନ୍ନୟନ କମିସନରଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଯେଉଁମାନେ ସାମିଲ ଥିବେ, ସେମାନଙ୍କୁ କୌଣସି ପ୍ରକାର ଛାଡ଼ ମିଳିବ ନାହିଁ ବୋଲି ସେ କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ । କେବଳ କାର୍ଯ୍ୟାନୁଷ୍ଠାନ ନୁହେଁ, ତ୍ରୁଟିପୂର୍ଣ୍ଣ ବହି ମୁଦ୍ରଣ ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବ । ରାଜ୍ୟ ସରକାର ଶୀଘ୍ର ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ସଂଶୋଧିତ ବହି ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।