ଓସିଏସ୍‌ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହଟିଲା ଏହି କଟକଣା

ଭୁବନେଶ୍ୱର,୧୫/୦୮: ଓଡ଼ିଶା ଲୋକସେବା ଆୟାଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓସିଏସ୍‌ ପରୀକ୍ଷା ରେ ସର୍ବାଧିକ ୬ଟି ସୁଯୋଗର କଟକଣାକୁ ରାଜ୍ୟ ସରକାର ହଟାଇଛନ୍ତି। ଏଣିକି ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ଓସିଏସ୍‌ ପରୀକ୍ଷା ଦେବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୮୦ତମ ସ୍ବାଧୀନତା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି। ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, OCS ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ନିୟମକୁ ହଟାଯିବ। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବୟସସୀମା ମଧ୍ୟରେ ରହିଥିଲେ ଅଧିକ ଥର ପରୀକ୍ଷା ଦେଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାକିରି ପାଇଁ ସର୍ବାଧିକ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ବୟସସୀମା ନିକଟରେ ପହଞ୍ଚିଥିବା ଅନେକ ଚାକିରି ଆଶାୟୀଙ୍କୁ ସୁଯୋଗ ମିଳିବ। ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଥିବା କିଛି କଟକଣାକୁ ମଧ୍ୟ କୋହଳ କରାଯାଇଛି। ଦୁର୍ନୀତି ଓ ଅନିୟମିତତାକୁ ଅକ୍ଷମଣୀୟ ଅପରାଧ ଭାବେ ଗ୍ରହଣ କରାଯିବ ସେ କହିଛନ୍ତି, ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ପରୀକ୍ଷା ମାଫିଆ ଏବଂ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପରୀକ୍ଷା ପରିଚାଳନାରେ ସାମାନ୍ୟ ତ୍ରୁଟି କିମ୍ବା ବିଚ୍ୟୁତି ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଓ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ଦେବା ସରକାରଙ୍କ ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *