ଦେଶର ଇନ୍ଧନ ଆତ୍ମନିର୍ଭରଶୀଳତା ହାସଲ ପାଇଁ କୋଇଲା ଗ୍ୟାସିଫିକେସନ ଜରୁରୀ: CGAI

ଭୁବନେଶ୍ୱର,୧୨/୦୮: କୋଇଲା ଗ୍ୟାସିଫିକେସନ କ୍ଷେତ୍ରରେ ଅଗ୍ରଣୀ ଶୀର୍ଷ ସଂଗଠନ କୋଲ ଗ୍ୟାସିଫାୟର୍ସ ଆସୋସିଏସନ ଅଫ ଇଣ୍ଡିଆ (CGAI), ପକ୍ଷରୁ ଭୁବନେଶ୍ୱରରେ “କୋଇଲା ଗ୍ୟାସିଫିକେସନ୍‌ରେ ଆହ୍ୱାନ, ସୁଯୋଗ ଏବଂ ନୂତନ ପ୍ରଯୁକ୍ତି” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଛିତ ବିପୁଳ କୋଇଲା ଭଣ୍ଡାର ଓ କୋଇଲା ମନ୍ତ୍ରାଳୟ ପକ୍ଷରୁ  ଆର୍ଥିକ ସହାୟତା (ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଯୋଜନା)କୁ ଆଧାର କରି ଦେଶର ଇନ୍ଧନ ଆତ୍ମନିର୍ଭରଶୀଳତା ହାସଲ ପାଇଁ କୋଇଲା ଗ୍ୟାସିଫିକେସନ ବୃଦ୍ଧି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ କୋଲ ଇଣ୍ଡିଆ, ମହାନଦୀ କୋଲଫିଲ୍ଡସ, ସାଉଥ ଇଷ୍ଟର୍ଣ୍ଣ କୋଲ ଫିଲ୍ଡସ, ଗେଲ, ଏନଟିପିସି ଓ ଜିନ୍ଦଲ ଷ୍ଟିଲ ସମେତ ଶ୍ରୀଲଙ୍କାରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ଓ କାନାଡାରୁ ପ୍ରଯୁକ୍ତି ବିଶେଷଜ୍ଞ ଯୋଗଦେଇଥିଲେ। ସମ୍ମିଳନୀରେ ୨୫ରୁ ଅଧିକ ବିଶେଷଜ୍ଞ ବକ୍ତା ବୈଷୟିକ ପ୍ରବନ୍ଧ ଉପସ୍ଥାପନ କରି ଭାରତୀୟ ଉଚ୍ଚ ପାଉଁଶ ସୃଷ୍ଟିକାରୀ କୋଇଲାର ପ୍ରକ୍ରିୟାକରଣ ପାଇଁ ଆଧୁନିକ ସମାଧାନ ଏବଂ ଜରୁରୀ ରାସାୟନିକ ପଦାର୍ଥର ଘରୋଇ ଉତ୍ପାଦନ ମାଧ୍ୟମରେ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ। ଏନଟିପିସି ଏବଂ ଜିନ୍ଦଲ ଷ୍ଟିଲ୍‌ର ଶୀର୍ଷ ଅଧିକାରୀମାନେ ଆତ୍ମନିର୍ଭରଶୀଳ ଭାରତର ଜାତୀୟ ଲକ୍ଷ୍ୟ ସହ ସିଧାସଳଖ ଭାବେ ସମ୍ପୃକ୍ତ ବିଭିନ୍ନ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରତିନିଧିମାନେ ଜିନ୍ଦଲ ଷ୍ଟିଲ୍‌ର ଅନୁଗୋଳସ୍ଥିତ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ସେଠାରେ ଥିବା ଭାରତର ପ୍ରଥମ ‘ସିଜିପି-ଡିଆରଆଇ’ ବ୍ୟବସ୍ଥା ପରିଦର୍ଶନ କରିଥିଲେ, ଯେଉଁଠାରେ କୋଲ ଗ୍ୟାସିଫିକେସନ ବ୍ୟବସ୍ଥାର ବ୍ୟବହାର କରାଯାଇ ଉଚ୍ଚମାନର ଇସ୍ପାତ ଉତ୍ପାଦନ କରାଯାଉଛି। ଅନୁଗୁଳ ପ୍ଲାଣ୍ଟ, ଦେଶର ପ୍ରଥମ ଇସ୍ପାତ ଉତ୍ପାଦନକାରୀ ପ୍ଲାଣ୍ଟ, ଯେଉଁଠାରେ ‘ସିଜିପି-ଡିଆରଆଇ’ର ସୁବିଧା ରହିଛି ଏବଂ ଏହା ଦେଶରେ କୋଇଲାର ଅଭିନବ ବ୍ୟବହାରର ଏକ ଉଲ୍ଲେଖନୀୟ ଉଦାହରଣ। ଉନ୍ନତମାନର ପ୍ରଯୁକ୍ତି, ଆଧୁନିକ ଉତ୍ପାଦନ ସୁବିଧା, ଦକ୍ଷତା ଏବଂ ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦେଉଥିବା ଜିନ୍ଦଲ ଷ୍ଟିଲ୍‌ର ଅନୁଗୋଳ ପ୍ଲାଣ୍ଟ ଭାରତର ଅତ୍ୟାଧୁନିକ ଇସ୍ପାତ କାରଖାନା ମଧ୍ୟରୁ ଅନ୍ୟତମ।

ପ୍ରତିନିଧିମାନେ ପ୍ଲାଣ୍ଟର କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରିବା ସହ ଦେଶର ସର୍ବବୃହତ୍ ବ୍ଲାଷ୍ଟ ଫର୍ନେସ୍‌ ଏବଂ ପ୍ଲାଣ୍ଟର ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଉଥିବା ବିଶ୍ୱସ୍ତରୀୟ ସର୍ବୋତ୍ତମ ପ୍ରଚଳିତ ବ୍ୟବସ୍ଥା ଏବଂ ଉନ୍ନତ ପ୍ରଯୁକ୍ତି ସମ୍ପର୍କରେ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିଥିଲେ।

ସମ୍ମିଳନୀରେ ଜିନ୍ଦଲ ଷ୍ଟିଲ୍‌ର ପରାମର୍ଶଦାତା ତଥା କୋଲ୍ ଗ୍ୟାସିଫାୟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ସଞ୍ଜୟ ସିଂହ, ମହାସଚିବ ଡ. ଏ.କେ. ବାଲ୍ୟାନ୍, ଉପସଭାପତି ତଥା କୋଇଲା ଗ୍ୟାସିଫିକେସନ୍ ବିଶେଷଜ୍ଞ କପିଲ ଧଗତ ଏବଂ ଗେଲର ବ୍ୟବସାୟ ବିକାଶ ନିର୍ଦ୍ଦେଶକ ଆର୍.କେ. ସିଙ୍ଘଲ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *