ନୂଆଦିଲ୍ଲୀ,୧୨/୦୮: ଜିମ୍ବାୱେରେ କାରିବା ହ୍ରଦରେ ଏକ ଯାତ୍ରୀବାହୀ ନୌକା ବୁଡ଼ିଯିବା ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମଙ୍ଗଳବାର ଦିନ ଫେରିଟି ଓଲଟି ପଡ଼ିଥିଲା । ପ୍ରାଥମିକ ସୂଚନାରେ ନୌକାରେ ୯୫ ଜଣ ଯାତ୍ରୀ ଥିବା କୁହାଯାଇଥିଲେ ହେଁ, ପରବର୍ତ୍ତୀ ତଦନ୍ତରୁ ଜଣାପଡିଛି ଯେ, ଫେରିରେ ପ୍ରାୟ ୧୧୯ ଜଣ ଲୋକ ଥିଲେ । ଡଙ୍ଗାର ସର୍ବାଧିକ କ୍ଷମତା ମାତ୍ର ୯୦ ଜଣ ଥିଲା । କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଡଙ୍ଗାଟି ଓଲଟି ପଡ଼ିଥିବା କୁହାଯାଉଛି । ପରେ ୭୭ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଦ୍ୱୀପକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ପ୍ରଶାସନ, ସେନା, ଏବଂ ପୋଲିସର ‘ସବ୍-ଆକ୍ୱା’ ୟୁନିଟ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୁହାଯାଉଛି ଯେ ହ୍ରଦରେ ଅତ୍ୟଧିକ ପବନ ଓ ପ୍ରବଳ ଢେଉ ଯୋଗୁଁ ଫେରିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।