ଶଙ୍ଖ ଭବନଠାରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର, ୧୦/୦୬: ଶଙ୍ଖ ଭବନଠାରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ବିଭିନ୍ନ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ । ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ଗତ ସରକାର ସମୟର ସଫଳତା ଏବଂ ଏସଆଇଆର (SIR) ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତାମତ ରଖିଥିଲେ ।ବୈଠକକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ ବର୍ତ୍ତମାନର ସରକାରଙ୍କ ଉପରେ ବର୍ଷିଥିଲେ । ଏହାସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି । ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହତ୍ୟା, ଦୁଷ୍କର୍ମ, ଲୁଟ୍ ଓ ନାରୀ ନିର୍ଯାତନା ଭଳି ଅପରାଧ ସବୁ ସୀମା ଲଙ୍ଘି ସାରିଲାଣି । ଏହା ସହିତ ରାଜ୍ୟର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବିଜେଡି ସରକାର କ୍ଷମତା ଛାଡ଼ିବା ବେଳେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟର ଋଣ ଭାର କ୍ରମାଗତ ଭାବେ ବଢ଼ିଚାଲିଛି । ଏପରିକି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପେନସନ୍ ମଧ୍ୟ ମିଳୁନାହିଁ । ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା ପୂର୍ବରୁ କୌଣସି ସରକାର ଅମଳରେ ଦେଖାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *