ନୂଆଦିଲ୍ଲୀ,୨୬/୦୯: ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍କୁ ନେଇ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ଭାରତରେ ଖେଳାଯିବାକୁ ଥିବା କ୍ରିକେଟ୍ ମ୍ୟାଚ୍ଗୁଡ଼ିକ ପାଇଁ ମୁଥୁଟ୍ ଫିନକର୍ପ ଲିମିଟେଡ୍କୁ ଟାଇଟଲ୍ ସ୍ପନସର୍ ଭାବେ ଘୋଷଣା କରାଯାଇଛି। ଏହି ସହଭାଗିତା ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରହିବ। BCCIର ଘୋଷଣା ଅନୁସାରେ, ଏହି ଟାଇଟଲ୍ ସ୍ପନସର୍ସିପ୍ରେ ଭାରତରେ ଖେଳାଯାଉଥିବା ସମସ୍ତ ଅନ୍ତର୍ଜାତୀୟ ସିରିଜ୍ ଓ ଟୁର୍ଣ୍ଣାମେଣ୍ଟ ସାମିଲ ହେବ। ଏହା ସହ BCCI ଆୟୋଜିତ ସମସ୍ତ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଏହି ଡିଲ୍ର ଅଂଶ ରହିବ। ଅର୍ଥାତ୍ ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ର ବିଭିନ୍ନ ବଡ଼ ମଞ୍ଚରେ ମୁଥୁଟ୍ ଫିନକର୍ପର ବ୍ରାଣ୍ଡ ଦେଖିବାକୁ ମିଳିବ।
BCCI ଅଧ୍ୟକ୍ଷ ମିଥୁନ ମନହାସ ଏହି ସହଭାଗିତାକୁ ଭାରତୀୟ କ୍ରିକେଟ୍ର ପହଞ୍ଚ ଓ ଲୋକପ୍ରିୟତା ସହ ଯୋଡ଼ିଛନ୍ତି। ତାଙ୍କ କହିବା ଅନୁସାରେ, ମୁଥୁଟ୍ ଫିନକର୍ପ ଟାଇଟଲ୍ ସ୍ପନସର୍ ଭାବେ ଯୋଡ଼ି ହେବା ଭାରତୀୟ କ୍ରିକେଟ୍ର ଶକ୍ତି ଓ ଦେଶବ୍ୟାପୀ ପ୍ରଭାବକୁ ଦର୍ଶାଉଛି।