ନୂଆଦିଲ୍ଲୀ,୩୦/୦୬: ନାବାଳିକା ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଆଶାରାମଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । କୋର୍ଟ ରାୟ ଦେଇଛନ୍ତି ଯେ, ଆଶାରାମଙ୍କୁ ତୁରନ୍ତ ଜାମିନ ଦିଆଯାଇପାରିବ ନାହିଁ। ଆଶାରାମ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ଆମେ ପ୍ରଥମେ ରାଜସ୍ଥାନ ସରକାରଙ୍କ ପକ୍ଷ ଶୁଣିବୁ। ତାଙ୍କ ଜାମିନ ଆବେଦନର ଶୁଣାଣି କରିବା ସମୟରେ ଆମକୁ ଏହାକୁ ବିଚାରକୁ ନେବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଶାରାମଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ଜେଲ୍ରେ ଚିକିତ୍ସା ସେବା ଜାରି ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ତାଙ୍କର ସ୍ୱାସ୍ଥ୍ୟଗତ ସ୍ଥିତି ଗମ୍ଭୀର ହେବ ତେବେ ହିଁ ଜାମିନ ଉପରେ ବିଚାର କରାଯିବ। ଜଷ୍ଟିସ୍ ସୁନ୍ଦରେଶ କହିଛନ୍ତି, ଆମେ ଦଣ୍ଡାଦେଶକୁ ସ୍ଥଗିତ ରଖିବା ବିଷୟରେ ବିଚାର କରୁନାହୁଁ। ଯଦି ଜୀବନ ପ୍ରତି ବିପଦ ଭଳି କୌଣସି ଗୁରୁତର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତେବେ ହିଁ ଆମେ ଏହା ଉପରେ ବିଚାର କରିବୁ। ସେ ରାଜ୍ୟକୁ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ଆଇନଜୀବୀ ଖଣ୍ଡପୀଠକୁ ଜଣାଇଥିଲେ ଯେ, ଆଶାରାମଙ୍କୁ ଜୁନ୍ ୨ ତାରିଖରେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି।