ମାତ୍ର ୨୨ ବର୍ଷ ବୟସରେ ଟେଲିଭିଜନ ଅଭିନେତ୍ରୀ ସଂଚିତା ଉଗଲେଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୧୬/୦୬: ଟେଲିଭିଜନ ଅଭିନେତ୍ରୀ ସଂଚିତା ଉଗଲେ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିୟା’ ପରି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ସଞ୍ଚିତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସଞ୍ଚିତା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନାଲାସୋପାରା ଅଞ୍ଚଳରେ ତାଙ୍କ ଘରେ ଏକା ଥିବା ସମୟରେ ସିଲିଂ ଫ୍ୟାନରେ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୋଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ କିମ୍ବା ସୁଇସାଇଡ ନୋଟ୍ ମଧ୍ୟ ପାଇ ନାହିଁ। ପୋଲିସ କହିଛି ଯେ, ଅଭିନେତ୍ରୀଙ୍କ ବାପା ଝିଅର ମୃତ୍ୟୁ ନେଇ କାହାକୁ ଦାୟୀ କରି ନାହାନ୍ତି। ଏହି ଚରମ ପଦକ୍ଷେପ ପଛରେ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପୋଲିସ କହିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ରେ ଦିୟା ଟଣ୍ଡନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ। ଭିକ୍କି କୌଶଳଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛାବା’ରେ ତାରା ରାଣୀଙ୍କ ଛୋଟବେଳର ଚରିତ୍ରରେ ଅଭିନୟ କରିଥିଲେ।ସଞ୍ଚିତା ତାଙ୍କର ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ ତାଙ୍କର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେୟାର କରିଥିଲେ। ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଭିଡିଓରେ ସେ ଖୁସି ଥିବା ଦେଖାଯାଉଥିଲେ।

Leave a Reply

Your email address will not be published. Required fields are marked *