ନୂଆଦିଲ୍ଲୀ, ୦୩/୦୭: ଦକ୍ଷିଣ- ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍ଟି ଗଭୀର ଖାଇକୁ ଖସି ପଡ଼ିଥିଲା। ବସ୍ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି। ବସ୍ଟି କ୍ବଏଟାରୁ ଇସଲାମାବାଦ ଯାଉଥିଲା । ବସ୍ରେ ମୋଟ ୪୮ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ସହିଦ ରିନ୍ଦ କହିଛନ୍ତି ଯେ, ବଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ବସ୍ଟି ନିୟନ୍ତ୍ରଣ ହରାଇ ଏକ ଘାଟିରେ ଖସି ପଡ଼ିଥିଲା । ବସ୍ଟି କ୍ବଏଟାରୁ ୩୬ ଯାତ୍ରୀଙ୍କୁ ନେଇ ଆସୁଥିବାବେଳେ ରାସ୍ତାରେ ଖରାପ ହୋଇଯାଇଥିବା ଅନ୍ୟ ଏକ ବସ୍ର ଯାତ୍ରୀ ଏହି ଗାଡ଼ିକୁ ଚାଲି ଆସିବା ଯୋଗୁ ଗାଡ଼ି ଭିତରେ ଅଧିକ ଗହଳି ହୋଇଯାଇଥିଲା।