ନୂଆଦିଲ୍ଲୀ,୨୬/୧୧: ଇଜିପ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପେଟ୍ରୋଲିୟମ ଟ୍ରକ୍ ଓଲଟିବା ପରେ ଭୟାବହ ନିଆଁ ଲାଗିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅତିକମରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଇଜିପ୍ଟର ରାଜଧାନୀ କାଇରୋ ସ୍ଥିତ ଆଲ୍-ୱାରାକ୍ ଅଞ୍ଚଳର ରିଙ୍ଗ ରୋଡ୍ରେ ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ଟ୍ରକ୍ଟି ଓଲଟି ପଡ଼ିବା ପରେ ଚାରିଆଡ଼େ ନିଆଁ ବ୍ୟାପିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ନିକଟରେ ଥିବା ପ୍ରାୟ ୨୭ଟି କାର୍ ଓ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ମୃତଦେହ ଜଳିଯାଇଥିବାରୁ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ୩୯ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି । ଅନ୍ୟପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ଇଜିପ୍ଟର ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।