ଭୁବନେଶ୍ୱର,୨୬/୧୧: ଆଜିର ଦିନକୁ ଭାରତ ପାଳନ କରୁଛି ସମ୍ବିଧାନ ଦିବସ । ଏହି ଦିନକୁ ‘ରାଷ୍ଟ୍ରୀୟ ଆଇନ ଦିବସ’ ଭାବେ ମଧ୍ୟ ଜଣାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଦେଶର ସମ୍ବିଧାନକୁ ଗ୍ରହଣ କରିଥିଲା । ପରେ ୧୯୫୦ ମସିହା ଜାନୁଆରୀ ୨୬ରୁ ଏହା ସାରା ଦେଶରେ ଲାଗୁ ହୋଇଥିଲା । ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏବଂ ନାଗରିକଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ୨୦୧୫ ମସିହାଠାରୁ ପ୍ରତିବର୍ଷ ନଭେମ୍ବର ୨୬କୁ ଆନୁଷ୍ଠାନିକ ଭାବେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଭାବେ ପରିଚିତ ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ସମ୍ବିଧାନ ସଭାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଏହି ଦିନ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନ ପ୍ରତି ନାଗରିକଙ୍କ ଦାୟିତ୍ୱକୁ ପୁଣିଥରେ ମନେ ପକାଇଥାଏ ।