ନୂଆଦିଲ୍ଲୀ,୨୫/୧୧: ବେଆଇନ ସୁନା ଖଣିରେ ବଡ଼ ଅଘଟଣ । ହଠାତ୍ ଖଣି ଭିତରକୁ ପଶିଲା ବନ୍ୟା ପାଣି । ଫଳରେ ପ୍ରାୟ ୧୦୦ ମିଟର ଗଭୀରରେ ଫସି ରହିଛନ୍ତି ୨୬ ଜଣ ଶ୍ରମିକ । ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଘଟିଛି ଏହି ଭୟଙ୍କର ଘଟଣା । ଖରାପ ପାଗ ଏବଂ ଖଣି ଭିତରେ ପାଣି ଭରିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ତେବେ ଏଯାଏଁ ୧୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ବୋଗୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ପୋଙ୍ଗକୋର ଅଞ୍ଚଳରେ ଥିବା ଏକ ବେଆଇନ ଖୋଲା ସୁନା ଖଣିରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ନିକଟସ୍ଥ ନଦୀର ଜଳସ୍ତର ବଢ଼ିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ନଦୀର ପାଣି ଖଣି ଭିତରକୁ ପଶିଯିବାରୁ ଶ୍ରମିକମାନେ ବାହାରକୁ ଆସିପାରି ନଥିଲେ ।