ଆଜିଠୁ ଆରମ୍ଭ ପଞ୍ଚକ ବ୍ରତ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛ ପ୍ରବଳ ଭିଡ଼

ଭୁବନେଶ୍ୱର,୨୧/୧୧: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ପଞ୍ଚକ ବ୍ରତ । କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ପଞ୍ଚକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ଦିବ୍ୟ ବେଶ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼ । କେବଳ ପୁରୀ ନୁହେଁ, ରାଜ୍ୟର ବିଭିନ୍ନ ଦେବାଳୟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ସହ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କାର୍ତ୍ତିକ ମାସର ପବିତ୍ର ପଞ୍ଚକ ବ୍ରତର ଆଜି ପ୍ରଥମ ଦିନ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀଜିଉମାନେ ଧାରଣ କରିଛନ୍ତି ମନୋମୁଗ୍ଧକର ଲକ୍ଷ୍ମୀନାରାୟଣ ବେଶ । ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ । ଶ୍ରୀଜିଉମାନଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି ଏବଂ ଅବକାଶ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି। ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ସମେତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *