ଆଇପିଏଲ୍‌ରୁ ଅବସର ନେଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ,୧୭/୧୧: ଆଇପିଏଲ୍‌ ୨୦୨୭ ପୂର୍ବରୁ ଧୋନୀଙ୍କୁ ନେଇ ଆସିଛି ବଡ଼ ଖବର। ଆଇପିଏଲ୍‌ରୁ ଅବସର ନେଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ। ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀଙ୍କୁ ଦଳର ନୂଆ ମେଣ୍ଟର ଭାବେ ନିଯୁକ୍ତ କରିଛି। ଏନେଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଆଇପିଏଲ୍‌ରେ ଧୋନୀଙ୍କ ଖେଳାଳି ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ସମ୍ପର୍କ ବେଶ୍ ପୁରୁଣା। ୨୦୦୮ରେ ଆଇପିଏଲ୍‌ ଆରମ୍ଭ ହେବା ପରଠାରୁ ଧୋନୀ ଚେନ୍ନାଇ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ୍‌ ଟ୍ରଫି ଜିତିଛି। ଅଧିନାୟକ ଭାବେ ତାଙ୍କ ଶାନ୍ତ ସ୍ୱଭାବ, ଚତୁର ରଣନୀତି ଓ ଚାପ ଭିତରେ ନିଷ୍ପତ୍ତି ନେବାର ଦକ୍ଷତା ତାଙ୍କୁ କ୍ରିକେଟ୍ ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବା ପରିବର୍ତ୍ତେ ମେଣ୍ଟର ଭାବେ ଦଳର ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରିବେ। ନିଜର ଦୀର୍ଘବର୍ଷର ଅଭିଜ୍ଞତା ବାଣ୍ଟିବା ସହ ଦଳର ରଣନୀତି ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି। ବିଶେଷ କରି ଆଇପିଏଲ୍‌ ୨୦୨୭ରେ ଚେନ୍ନାଇକୁ ପୁଣି ଚାମ୍ପିଅନ୍ କରିବା ଦିଗରେ ଧୋନୀଙ୍କ ଅଭିଜ୍ଞତା ବେଶ୍ ଉପଯୋଗୀ ହୋଇପାରେ। ଅନ୍ୟପଟେ ଧୋନୀଙ୍କ ଅବସର ଖବର ପ୍ରଶଂସକଙ୍କୁ ଭାବବିହ୍ୱଳ କରିଛି।

Leave a Reply

Your email address will not be published. Required fields are marked *