ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଜାମିନ ଆବେଦନର ଶୁଶାଣି ଶେଷ

ଭୁବନେଶ୍ୱର,୧୭/୧୧: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦାଲତରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରେ ଏହି ଜାମିନ ଆବେଦନ ଉପରେ ରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବିଦ୍ୟାଭାରତୀ ପ୍ରଥମେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ଗତ ୨ ନଭେମ୍ବରରେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଏହାପରେ ସେ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ନିୟମିତ ଜାମିନ ଆବେଦନ କରିଥିଲେ। ତେବେ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଚାଲୁଥିବାରୁ ତାଙ୍କ ଜାମିନ ଆବେଦନକୁ ସେହି ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଆଜି ସେଠାରେ ଶୁଣାଣି ହୋଇଛି। ସୂଚନାଯୋଗ୍ୟ ଯେ ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ପରିସ୍ଥିତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଜୁଲାଇ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଏକ ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରି ମୃତକଙ୍କ ବାପା ଅଭିରାମ ମହାପାତ୍ର ଜୁଲାଇ ୧୪ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ।

Leave a Reply

Your email address will not be published. Required fields are marked *