ଭୁବନେଶ୍ୱର,୧୭/୧୧: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହି ବୈଠକରେ ତିନି ଦଳର ବିଧାୟକମାନେ ଯୋଗ ଦେଇଛନ୍ତି । ଶୀତ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ନେଇ ବାଚସ୍ପତି ବିଧାୟକମାନଙ୍କ ସହ ଆଲୋଚନା କରିବେ । ସେପଟେ ଆଜି ସନ୍ଧ୍ୟା ୫ଟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଚଳିତ ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ଦଳ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ବିଶେଷ କରି ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତା, କୋଟିଆରେ ଆନ୍ଧ୍ରର ନିର୍ବାଚନ, ଆଇନଶୃଙ୍ଖଳା ପରିସ୍ଥିତି ଓ ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିଜେଡି ଯୋଜନା କରୁଛି । ଚଳିତ ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି । ତେଣୁ ଏଥର ଅଧିବେଶନ ବେଶ୍ ସରଗରମ ରହିବା ନେଇ ଆକଳନ କରାଯାଉଛି ।