ନୂଆଦିଲ୍ଲୀ,୧୫/୧୧: କୋଲକାତାରେ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆଗାମୀ ୫ଟି ରବିବାର କୋଲକାତା ମେଟ୍ରୋର ବ୍ଲୁ ଲାଇନ୍ର କିଛି ଅଂଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏହି ନିଷ୍ପତ୍ତି ଯୋଗୁଁ ହଜାର ହଜାର ଯାତ୍ରୀଙ୍କୁ ନିଜ ଯାତ୍ରା ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ । ମେଟ୍ରୋ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୫ ନଭେମ୍ବରରୁ ୧୩ ଡିସେମ୍ବର ୨୦୨୬ ମଧ୍ୟରେ ଲଗାତାର ୫ଟି ରବିବାର ବ୍ଲୁ ଲାଇନ୍ର କିଛି ଅଂଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।ଏହି ସେବା ବନ୍ଦ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ଅର୍ଥାତ୍ ପ୍ରାୟ ୯ ଘଣ୍ଟା ଧରି କେତେକ ଷ୍ଟେସନ୍ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ନାହିଁ । ମେଟ୍ରୋ ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବ୍ଲୁ ଲାଇନ୍ର କେତେକ ଅଂଶରେ ଜରୁରୀ ରକ୍ଷଣାବେକ୍ଷଣ କାମ କରାଯିବ। ଏହି କାମକୁ ସୁରକ୍ଷିତ ଭାବେ ଏବଂ ବିନା ବାଧାରେ ସମ୍ପୂର୍ଣ୍ଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର ଦିନ ଯାତ୍ରୀଙ୍କ ଭିଡ଼ ଅପେକ୍ଷାକୃତ କମ୍ ରହୁଥିବାରୁ ଏହି ଦିନଗୁଡ଼ିକୁ ରକ୍ଷଣାବେକ୍ଷଣ କାମ ପାଇଁ ବାଛିଛନ୍ତି କର୍ତ୍ତୃପକ୍ଷ।
୧୫ ନଭେମ୍ବର: ସହିଦ ଖୁଦିରାମରୁ ମହାନାୟକ ଉତ୍ତମ କୁମାର ପର୍ଯ୍ୟନ୍ତ।
୨୨ ନଭେମ୍ବର: ସହିଦ ଖୁଦିରାମରୁ ମହାନାୟକ ଉତ୍ତମ କୁମାର ପର୍ଯ୍ୟନ୍ତ।
୨୯ ନଭେମ୍ବର: ସହିଦ ଖୁଦିରାମରୁ ମହାନାୟକ ଉତ୍ତମ କୁମାର ପର୍ଯ୍ୟନ୍ତ।
୬ ଡିସେମ୍ବର: ସହିଦ ଖୁଦିରାମରୁ ମହାନାୟକ ଉତ୍ତମ କୁମାର ପର୍ଯ୍ୟନ୍ତ।
୧୩ ଡିସେମ୍ବର: ସହିଦ ଖୁଦିରାମରୁ ମୈଦାନ ଷ୍ଟେସନ୍ ପର୍ଯ୍ୟନ୍ତ।