ଭୁବନେଶ୍ୱର,୧୦/୧୧: ଲାଞ୍ଚ ନେବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।ଗତ ୬ ନଭେମ୍ବର ୨୦୨୬ରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ମନୀଷାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଥିଲା । ଜମି ପଞ୍ଜୀକରଣ ଓ ବିକ୍ରି କବଲା କରାଇଦେବା ପାଇଁ ସେ ଅଭିଯୋଗକାରୀଙ୍କଠାରୁ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ୭ ନଭେମ୍ବରରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।