ଭୁବନେଶ୍ୱର,୧୦/୧୧: ଓଡ଼ିଶାର ଷ୍ଟାର୍ଟଅପ୍ ଜଗତକୁ ମିଳିବ ଜାପାନର ସହଯୋଗ । ରାଜ୍ୟର ‘ସଷ୍ଟେନେବିଲିଟି ଲିଡର’ ଷ୍ଟାର୍ଟଅପ୍ ଏବଂ ଜାପାନର ‘ଓନ୍ ଷ୍ଟ୍ରକ୍ଚର’ ଷ୍ଟାର୍ଟଅପ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଓଡ଼ିଶାର ନୂଆ ଉଦ୍ୟୋଗୀଙ୍କୁ ଜାପାନର ବଜାର, ଟେକ୍ନୋଲୋଜି ଓ ଅଭିଜ୍ଞତା ସହ ଯୋଡ଼ିବାକୁ ଉଦ୍ୟମ କରାଯିବ ।
ଏହାସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଜାପାନର ତୋତ୍ତୋରୀ ପ୍ରଦେଶ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଆନୁଷ୍ଠାନିକ ବୁଝାମଣାପତ୍ର ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ଏହି ଚୁକ୍ତି ଅଧୀନରେ ବିଜନେସ୍ ମ୍ୟାଚମେକିଂ, ଷ୍ଟାର୍ଟଅପ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ, କର୍ମଶାଳା ଏବଂ ଉଦ୍ୟୋଗୀଙ୍କୁ ତ୍ୱରିତ ସହାୟତା ଭଳି ପଦକ୍ଷେପ ନିଆଯିବ । ବିଶେଷକରି କୃଷି, ସ୍ୱାସ୍ଥ୍ୟ ଓ କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ ଜ୍ଞାନକୌଶଳ ଓ ଅଭିଜ୍ଞତାର ଆଦାନପ୍ରଦାନ ହେବ। ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୩ ହଜାର ଷ୍ଟାର୍ଟଅପ୍ ରହିଛି। ୨୦୨୯ ସୁଦ୍ଧା ଏହି ସଂଖ୍ୟାକୁ ୫ ହଜାରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।