ଛତିଶଗଡ଼ର ବସ୍ତର ଅଞ୍ଚଳରେ ପହଞ୍ଚି ସୁରକ୍ଷାକର୍ମୀମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୮/୧୧: ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବସ୍ତର ଅଞ୍ଚଳରେ ପହଞ୍ଚି ସୁରକ୍ଷାକର୍ମୀମାନଙ୍କ ସହ ସମୟ ଅତିବାହିତ କରିଛନ୍ତି । ଏ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ବସ୍ତର ମାଟିରେ ଗୋଟେ ସମୟରେ ନକ୍ସଲବାଦର କାୟାବିସ୍ତାର ଥିଲା, ଆଜି ସେଠାରେ ଶାନ୍ତି ଓ ବିକାଶର ନବ ସୂର୍ଯ୍ୟୋଦୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ବାର୍ଷିକ ପରମ୍ପରାକୁ ବଜାୟ ରଖି ସୈନିକମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବା ଅବସରରେ ଦେଶର ସୁରକ୍ଷା ବାହିନୀର ନିଃସ୍ୱାର୍ଥପର ସେବା, ସାହସ ଏବଂ ଅଟଳ ନିଷ୍ଠାକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦୃଢ଼ ରଣନୀତି ଏବଂ ସୁରକ୍ଷାକର୍ମୀଙ୍କ ଅପରେସନ୍ ଫଳରେ ଗତ ମାର୍ଚ୍ଚ ୩୧, ୨୦୨୬ ରେ ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ବୋଲି ଘୋଷଣା କରାଯାଇଥିଲା। ବହୁ ମାଓବାଦୀ ନେତାଙ୍କ ଆତ୍ମସମର୍ପଣ ଓ ନିପାତ ପରେ ବସ୍ତରରେ ଏବେ ଶାନ୍ତି ଫେରିଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସୁରକ୍ଷାକର୍ମୀଙ୍କ ମନୋବଳକୁ ଆହୁରି ଦୃଢ଼ୀଭୂତ କରିଛି।

Leave a Reply

Your email address will not be published. Required fields are marked *