ପୟା ଶ୍ରାଦ୍ଧରେ ବଡ଼ବଡ଼ୁଆ ଡାକ, ଶ୍ରୀମନ୍ଦିରରେ ପ୍ରବଳ ଭିଡ

ଭୁବନେଶ୍ୱର, ୦୮/୧୧: ଆଜି ପବିତ୍ର କାର୍ତ୍ତିକ ଅମାବାସ୍ୟା ।  ହିନ୍ଦୁ ପରମ୍ପରାରେ ଏହି ତିଥିର ରହିଛି ବିଶେଷ ମହତ୍ତ୍ୱ । ଏହି ଦିନ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କ ଆଶୀର୍ବାଦ ନେବାର ପରମ୍ପରା ରହିଛି । ଏଥିପାଇଁ ପାଳନ କରାଯାଏ ପୟା ଶ୍ରାଦ୍ଧ । ଏହାସହ ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିବାର ପରମ୍ପରା ମଧ୍ୟ ରହିଛି ।ବର୍ଷସାରା ଯେଉଁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିପାରିନଥାନ୍ତି, ସେମାନେ ଆଜି ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ୁଆଙ୍କୁ ଡାକିଥାନ୍ତି। ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦେବାର ପରମ୍ପରା ରହିଛି । ଏହି ପରମ୍ପରା ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୋଲିସ ମୁତୟନ କରାଯାଇଛି ।

 

Leave a Reply

Your email address will not be published. Required fields are marked *