ନୂଆଦିଲ୍ଲୀ,୦୫/୧୧: ଦିଲ୍ଲୀରେ ଦିନକୁ ଦିନ ବିଗୁଡ଼ୁଛି ବାୟୁର ମାନ । ଆଜି ରାଜଧାନୀର ସାମଗ୍ରିକ AQI ୩୬୮ ରେକର୍ଡ ହୋଇଛି । ଯାହାକି ‘ଭେରି ପୁଅର୍’ ବା ଅତି ଖରାପ ବର୍ଗରେ ରହିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ଦିଲ୍ଲୀର ୧୮ଟି ମନିଟରିଂ ଷ୍ଟେସନରେ AQI ୪୦୦ ଅତିକ୍ରମ କରି ‘ସିଭିୟର୍’ ବା ଅତି ଗମ୍ଭୀର ବର୍ଗରେ ପହଞ୍ଚିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ବା CPCB ର ତଥ୍ୟ ଅନୁସାରେ, ଜାହାଙ୍ଗୀରପୁରୀରେ AQI ସର୍ବାଧିକ ୪୫୯ ରହିଛି । ସେହିପରି IIT ଦିଲ୍ଲୀରେ ୪୪୭, ପଞ୍ଜାବୀ ବାଗରେ ୪୪୬, ଆଲିପୁରରେ ୪୩୭, ବିବେକ ବିହାରରେ ୪୩୪ ଏବଂ AIIMS ଅଞ୍ଚଳରେ ୪୦୨ ରେକର୍ଡ ହୋଇଛି । ଅର୍ଥାତ୍ ଦିଲ୍ଲୀର ଅନେକ ପ୍ରମୁଖ ଅଞ୍ଚଳରେ ପବନର ମାନ ଅତି ଗମ୍ଭୀର ସ୍ତରରେ ପହଞ୍ଚିଛି । ଏହା ପୂର୍ବରୁ ବୁଧବାର ଦିନ ଦିଲ୍ଲୀର AQI ୩୭୭ ରହିଥିଲା । ଚଳିତ ବର୍ଷ ଜାନୁଆରୀ ୨୦ ପରଠାରୁ ଏହା ସର୍ବାଧିକ ପ୍ରଦୂଷଣ ସ୍ତର ବୋଲି କୁହାଯାଉଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ପବନର ବେଗ କମିବା ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ଆହୁରି ବଢ଼ିପାରେ ।